ଭୁବନେଶ୍ବର: ନୂଆ ଦଳ ଗଠନ ନେଇ ମହମ୍ମଦ ମୋକିମଙ୍କ ବଡ଼ ସୂଚନା । ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ କହିଲେ ମୋକିମ୍ । ସେ କହିଛନ୍ତି ଯେ, “ନୂଆ ଦଳ ନେଇ ସମୀକରଣ ଚାଲିଛି, ପୂରା ରାଜ୍ୟରୁ ମତାମତ ନିଆଯାଉଛି । ବଡ଼ କାର୍ଯ୍ୟକ୍ରମ ପୂର୍ବରୁ ଅନେକ ପରାମର୍ଶ ଆବଶ୍ୟକ । ପର୍ଯ୍ୟାୟ କ୍ରମେ ଆଗକୁ ବଢୁଛି, ମାର୍ଚ୍ଚ ଶେଷ ସୁ୍ଦ୍ଧା ବ୍ୟବସ୍ଥା ହୋଇସାରିଥିବ । ନୂଆ ରାଜନୈତିକ ଦଳର ଭିତ୍ତିଭୂମି ପଡ଼ିବ” ବୋଲି କହିଲେ ମୋକିମ ।
ଆସନ୍ତା 12 ତାରିଖରେ ଯୁବ ସମାବେଶରେ ଏକାଠି ହେବେ ରାଜ୍ୟର ଅନେକ ଯୁବ ପୀଢି । ଉପକୂଳ ଓଡ଼ିଶାର ଅନେକ ଯୁବ ନେତା ଏକାଠି ହେବେ । ଓଡ଼ିଶାର ଭହିଷ୍ୟତ ନେଇ ଆଲୋଚନା କରିବୁ ବୋଲି ମୋକିମ କହିଛନ୍ତି । ତେବେ ନୂଆ ଦଳର ନାମ ଲୋକ କଂଗ୍ରେସ ଦିଆଯିବ ବୋଲି ସୂଚନା ମିଳିଛି ।
ପରବର୍ତ୍ତୀ ସମୟରେ ମହିଳା ସମ୍ମିଳନୀ ହେବ, ଏବଂ ଚାଷୀଙ୍କୁ ଭେଟିବୁ । ଏଜେଣ୍ଡା ଓ ଆମ କର୍ତ୍ତବ୍ୟ କଣ ହେବା ଉଚିତ୍, ପ୍ରସ୍ତୁତ କରି ସାମ୍ନାକୁ ଆସିବୁ ବୋଲି ସେ କହିଛନ୍ତି ।ପ୍ରକାଶଥାଉକି, ପୂର୍ବରୁ କଂଗ୍ରେସର ଏହି ବରିଷ୍ଠ ନେତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସେ ଗ୍ରହଣ କରିଛନ୍ତି ବୋଲି କହିଥିଲେ । ତେବେ ଏହାପରେ ସେ ଏକ ନୂଆ ଆଞ୍ଚଳିକ ଦଳ ଗଠନ କରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା । ନିଜ ଶୁଭେଚ୍ଛୁଙ୍କ ପରାମର୍ଶ ଅନୁସାରେ ଆଗାମୀ ପଦକ୍ଷେପ ଗ୍ରହଣ କରିବେ ବୋଲି ମୋକିମ କହିଥିଲେ । ଦଳର ଶୀର୍ଷ ନେତୃତ୍ୱଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ଦଳରୁ ବହିଷ୍କୃତ ହୋଇଥିଲେ ମୋକିମ୍ ।

