ମତ୍ସ୍ୟ-ପ୍ରାଣୀ ସମାବେଶ, ଓଡିଶା-2026 ର ଦ୍ୱିତୀୟ ଦିନ• “ମତ୍ସ୍ୟ-ପ୍ରାଣୀ ଏବେ ନୂତନ ଦିଶା, ବିକଶିତ ହେବ ଆମ ଓଡିଶା”• କୌଣସି ଯୋଜନା ସୀମିତ ନୁହେଁ-ମତ୍ସ୍ୟ ଓ ପ୍ରାଣିସଂପଦ ମନ୍ତ୍ରୀ

ଭୁବନେଶ୍ୱର;ତା 22.01.2026 ରିଖ:ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ମତ୍ସ୍ୟ-ପ୍ରାଣୀ ସମାବେଶ, ଓଡିଶା-2026 ର ଆଜି ଦ୍ୱିତୀୟ ଦିନରେ ମାନ୍ୟବର ବାଣିଜ୍ୟ, ପରିବହନ ଓ ଖଣିଜ ସଂପଦ ବିକାଶ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଭୁବନେଶ୍ୱର ମହାନଗର ନିଗମର ମହାନଗର ପାଳ ଶ୍ରୀମତୀ ସୁଲୋଚନା ଦାସ, ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ-ପ୍ରାଣୀ ନିର୍ଦେଶକ ଶ୍ରୀ ମହମ୍ମଦ ସାଦିକ୍ ଆଲାମ ଏବଂ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦେଶକ ତଥା ଓମ୍ଫେଡ୍ ର ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଅତିଥି ଭାବେ ମଞ୍ଚାସୀନ ଥିଲେ ।
ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପରେ ସ୍ୱାଗତ ଅଭିଭାଷଣ ଦେଇଥିଲେ ମତ୍ସ୍ୟ-ପ୍ରାଣୀ ନିର୍ଦେଶକ ଶ୍ରୀ ମହମ୍ମଦ ସାଦିକ୍ ଆଲାମ । ପରେ ମତ୍ସ୍ୟ, କୁକୁଡା, ଘୁଷୁରୀ, ଗୋପାଳନ, ଛେଳି, ମେଣ୍ଢା ପାଳନ, ଦୁଗ୍ଧ ଉତ୍ପାଦନ ଓ ଦୁଗ୍ଧ ସଂଗ୍ରହ ଆଦି କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚି ଥିବା ବ୍ୟକ୍ତି ବିଶେଷ, ଚାଷୀ, ସଂଗଠନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସମବାୟ ସମିତି, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିମାନେ ମାନପତ୍ର ଓ ଫଳକ ପ୍ରଦାନ ସ୍ୱରୂପ ସେମାନଙ୍କୁ ମତ୍ସ୍ୟଚାଷ ଓ ପ୍ରାଣୀ ପାଳନକୁ ଆହୁରି ଆଗକୁ ନେବା ପାଇଁ ଉତ୍ସାହିତ କରିଥିଲେ ।
ମତ୍ସ୍ୟ-ପ୍ରାଣୀ ସମାବେଶ, ଓଡିଶା-2026 ର ଥିମ୍ ରହିଛି “ମତ୍ସ୍ୟ-ପ୍ରାଣୀ ଏବେ ନୂତନ ଦିଶା, ବିକଶିତ ହେବ ଆମ ଓଡିଶା ।“ ଏହି ରାଜ୍ୟସ୍ତରୀୟ ମହାକୁମ୍ଭରେ 8 ହଜାରରୁ ଅଧିକ ଚାଷୀ ଯୋଗଦେଇଥିବା ବେଳେ ବହୁ ବୈଜ୍ଞାନିକ, ଅଭିଜ୍ଞ ଚାଷୀ, ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ପ୍ରଦାନକାରୀ ବିଭିନ୍ନ କଂପାନୀ ଯୋଗଦେଇଛନ୍ତି । ଏହି ସମାବେଶ ଚାଷୀମାନଙ୍କ ପାଇଁ ନୂତନ ଜ୍ଞାନ କୌଶଳ ସହ ସରକାରଙ୍କର ଥିବା ବିଭିନ୍ନ ଯୋଜନା ସଂପର୍କରେ ଅବଗତ ହେବାର ଏକ ସୁଯୋଗ ସୃଷ୍ଟି କରିଛି । ସେ ସବୁର ଲାଭ ଉଠାଇବା ସହ ବିକଶିତ ଓଡିଶା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ ପାଇଁ ଆହ୍ୱାନ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଶ୍ରୀ ମଲ୍ଲିକ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ହେଉ, ମତ୍ସ୍ୟ-ପ୍ରାଣୀ ପାଳନ ଯୋଜନା ହେଉ, ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ ଯୋଜନା ହେଉ କିମ୍ବା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା ହେଉ, କୌଣସି ଯୋଜନା ସୀମିତ ନୁହେଁ । ଏହା ସମସ୍ତଙ୍କ ପାଇଁ ଖୋଲା ରହିଛି ଏବଂ ଯେତେ ଲୋକ ଚାହିଁବେ, ଏହି ଯୋଜନାରେ ସାମିଲ ହୋଇପାରିବେ । ଚାଷୀମାନଙ୍କୁ 70 ପ୍ରତିଶତ ପର୍ଯ୍ୟନ୍ତ ସବସିଡ୍ ଦିଆଯାଉଥିବା ସଂପର୍କରେ ମଧ୍ୟ ଅବଗତ କରାଇଥିଲେ ।
ଜିଲ୍ଲା ସ୍ତରରେ ଏକ ସେଲ୍ ଗଠନ କରି ଏହି ସବୁ ଯୋଜନାକୁ ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଅତିଥି ତଥା ବାଣିଜ୍ୟ, ପରିବହନ ଓ ଖଣିଜ ସଂପଦ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା । ଲକ୍ଷପତି ଦିଦି ସୃଷ୍ଟି କରିବାରେ ମତ୍ସ୍ୟ ଓ ପ୍ରାଣୀ ପାଳନ ବିଭାଗ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ରାଜ୍ୟର ଅର୍ଥିନୀତି ସୁଧାରିବାରେ ବେଶ ସହାୟକ ହେବ । ବିକଶିତ ଓଡିଶା ଗଠନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କରିଥିବା ବିଭିନ୍ନ ଯୋଜନାର ଲାଭ ଉଠାଇବାକୁ ସେ ଉପସ୍ଥିତ ମତ୍ସ୍ୟ ଓ ପ୍ରାଣୀପାଳକମାନଙ୍କୁ ଆହ୍ୱାନ ଦେଇଛନ୍ତି । ଶିକ୍ଷିତ ଯୁବକ, ଯୁବତୀ ଏଥିପାଇଁ ଆଗେଇ ଆସିବାକୁ ସେ ଅନୁରୋଧ କରିଛନ୍ତି । ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଥିବାରୁ ଖୁସି ବ୍ୟକ୍ତ କରିବା ସହ ବିଭାଗୀୟ ମନ୍ତ୍ରୀ, ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ ଶ୍ରୀ ଜେନା ।
ଶେଷରେ ଅତିଥି ତଥା ଉପସ୍ଥିତ ଜନତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦେଶକ ତଥା ଓମ୍ଫେଡ୍ ର ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ । ଅତିଥିମାନେ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *