ଶିଶିର ସରସରେ ମକର ସଂକ୍ରାନ୍ତିର ଉତ୍ସବ:

  • ୪ ଦିନରେ ୪ କୋଟିରୁ ଊର୍ଦ୍ଧ୍ୱ ବେପାର

ଭୁବନେଶ୍ୱର, ୧୪.୦୧.୨୦୨୬: ରାଜଧାନୀ ଆକାଶକୁ ରଙ୍ଗୀନ କରିଛି ରଙ୍ଗବେରଙ୍ଗର ଗୁଡ଼ି । ୨୦୨୬ ଶିଶିର ସରସ ମେଳାର ରଙ୍ଗୀନ ଗୁଡ଼ିରେ ରଙ୍ଗୀନ ହୋଇଉଠିଛି ମକର ସଂକ୍ରାନ୍ତିର ପବିତ୍ର ପର୍ବ । ଏହି ଆନନ୍ଦମୟ ଉତ୍ସବର ଅଂଶ ସ୍ୱରୂପ, ଓର୍‌ମାସ୍ ଓ ସୁଭଦ୍ରା ଶକ୍ତି ପକ୍ଷରୁ ଏକ ଆକର୍ଷଣୀୟ ‘କାଇଟ୍ ଶୋ’ ଆୟୋଜନ କରାଯାଇଛି, ଯାହା ଭୁବନେଶ୍ୱର ଆକାଶରେ ଭରି ଦେଇଛି ଆଶା, ଉଲ୍ଲାସ ଓ ପରମ୍ପରାର ରଙ୍ଗ । ଜାନୁୟାରୀ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ‘କାଇଟ୍ ଶୋ’ ଶିଶିର ସରସର ମୁଖ୍ୟ ଆକର୍ଷଣ ସାଜିଛି । ମେଳାକୁ ଆସିଥିବା ସମସ୍ତ ଅଂଶଗ୍ରହଣକାରୀମାନେ ନିଜ ନିଜ ସୃଜନଶୀଳ ଗୁଡ଼ି ଡିଜାଇନ୍‌ର ଚମତ୍କାର ପ୍ରଦର୍ଶନ କରି ପରିଦର୍ଶକଙ୍କ ମନକୁ ଆନନ୍ଦରେ ଭରି ଦେଇଥିଲେ । ପାରମ୍ପରିକ ଓ ପଶୁପକ୍ଷୀ ଆକୃତି ଓ ଲୋକକଳାର ମୂଳ ଆଧାରକୁ ଭିତ୍ତି କରି, ଆଧୁନିକତାର ସ୍ପର୍ଶ ସହ ଏହି ଗୁଡ଼ି ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଗାଥା କହୁଅଛି ।
ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଓର୍‌ମାସ୍ ଦ୍ୱାରା ସୁରକ୍ଷିତ ଗୁଡ଼ିସୂତା ବ୍ୟବହାର କରାଯାଇଛି । ଏହା ମାଧ୍ୟମରେ ପକ୍ଷୀ, ପଥଚାରୀ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି । ଏହିସବୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପରିଦର୍ଶକମାନଙ୍କ ମଧ୍ୟରେ ବିଶେଷ ପ୍ରଂଶସା ଅର୍ଜନ କରିଛି । ଗୁଡ଼ି ପ୍ରଦର୍ଶନୀ କେବଳ ଏକ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ନୁହେଁ, ଏହା ହେଉଛି ଆମର ମୂଳ ସଂସ୍କୃତି, ପୁରାତନ ପରମ୍ପରା ଓ ସାମୁଦାୟିକ ଏକତାର ଏକ ଆନନ୍ଦପୂର୍ଣ୍ଣ ଉତ୍ସବ । ମେଳାକୁ ଆସୁଥିବା ସମସ୍ତ ପରିଦର୍ଶକ ରଙ୍ଗୀନ ଆକାଶର ଏହି ଦୃଶ୍ୟକୁ ମନଭରି ଉପଭୋଗ କରିଥିଲେ । ପ୍ରଥମ ସିରିଜ୍‌ରେ କାଗଜରେ ୧ ବର୍ଗ ମିଟରରେ ୧୦୦ ଟି ଗୁଡ଼ି, ୧.୨ ମିଟର ଓ ରିପ୍‌ଷ୍ଟପ୍ ନାଇଲନ୍‌ରେ ପ୍ରସ୍ତୁତ ପକ୍ଷୀ ଆକୃତି ସଦୃଶ ୭୫ଟି ଗୁଡ଼ି, ୪-୨୦ ମିଟର ପାରାଫୋଏଲ ଡିଜାଇନ୍‌ର ୩୦ ଟି ଗୁଡ଼ି, ୧୬ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ରିଙ୍ଗ୍ କାଇଟ୍ ଫ୍ଲାଇଂ, ଲେଟର କାଇଟ୍ ଫ୍ଲାଇଂ ଗୋଟିଏ ଲେଖାଏଁ ଗୁଡ଼ି ଉଡ଼ାଯାଇଥିଲା । ‘ଶିଶିର ସରସ’ ଅଫ୍ ଓର୍‌ମାସ୍ ମାସ୍କଟ୍ ଲେଖା ବିଶିଷ୍ଟ ୨୬ ବର୍ଗ ମିଟର ପାରାଫଏଲ୍ ପାଇଲଟ୍ କାଇଟ୍ ଥିଲା ପ୍ରଦର୍ଶନୀର ବିଶେଷ ଆକର୍ଷଣ ।
‘ଶିଶିର ସରସ’ ମେଳାର ୫ମ ଦିବସରେ ଆଜି ଓର୍‌ମାସ୍ ତରଫରୁ ଗୁଡ଼ି ସମ୍ପର୍କିତ ଏକ କର୍ମଶାଳା ମଧ୍ୟ ଆୟୋଜିତ ହୋଇଥିଲା । ଯେଉଁଠାରେ ରାଜଧାନୀର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଗୁଡ଼ି ପ୍ରସ୍ତୁତ କରିଥିଲେ । ଏଥିରେ କେନ୍ଦ୍ରୀୟ ବିଦ୍ୟାଳୟ ଓ ସରସ୍ୱତୀ ଶିଶୁ ମନ୍ଦିରର ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସେମାନଙ୍କୁ କାଇଟ୍ ମ୍ୟାନ୍ ନାମକ ସଂସ୍ଥା ତରଫରୁ ଗୁଡ଼ି ପ୍ରସ୍ତୁତର ପ୍ରଶିକ୍ଷଣ ଦିଆଯାଇଥିଲା । ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବା ଓଡ଼ିଶାର ପୁରାତନ ପରମ୍ପରାକୁ ଛାତ୍ରଛାତ୍ରୀମାନେ ଆଜି ଶିଶିର ସରସ ମେଳାରେ ଉଜ୍ଜୀବିତ କରିଛନ୍ତି ।
୪ର୍ଥ ଦିନରେ ଶିଶିର ସରସ ମେଳା ୨୦୨୬ର ବ୍ୟବସାୟ ୯୫ ଲକ୍ଷ ରୁ ଊର୍ଦ୍ଧ୍ୱ ହୋଇଥିଲା। ବିଗତ ଦିନର ବ୍ୟବସାୟକୁ ହିସାବକୁ ନେଲେ ପ୍ରାୟ ୪ କୋଟି ଟଙ୍କାରୁ ଊର୍ଦ୍ଧ୍ୱ କିଣାବିକା ହୋଇଛି । ମକର ସଂକ୍ରାନ୍ତିରେ ‘କାଇଟ୍ ଶୋ’ କୁ ଦର୍ଶକ ଉପଭୋଗ କରିଥିବା ବେଳେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଲିଉଡ୍ ଗାୟକ କୂଳଦୀପ ପଟ୍ଟନାୟକ ଏବଂ ଓଡ଼ିଆ ରାପ୍ପର ବ୍ଲାକ୍ ଭା ଙ୍କ ରାପ୍ ଶୋ’ ଯୁବବର୍ଗଙ୍କ ମନ ମୋହିବାରେ ସଫଳ ହୋଇଛି ।

Leave a Reply

Your email address will not be published. Required fields are marked *