ବିକଶିତ ଭାରତ – ଜି-ରାମ-ଜି ଅଧିନିୟମ, ୨୦୨୫’ ସଚେତନତା ପ୍ରତିଯୋଗିତାର ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ,୨୬/୦୩/୨୦୨୬: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ‘ବିକଶିତ ଭାରତ-ନିଯୁକ୍ତି ଏବଂ ଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି: ଭିବି-ଜିରାମ-ଜି ଅଧିନିୟମ, ୨୦୨୫’ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ଶେଷ ତାରିଖକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯୁବକ ଏବଂ ନାଗରିକମାନଙ୍କ ସୃଜନଶୀଳ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଏବଂ ଏହି ଅଭିଯାନକୁ ଅଧିକ ବ୍ୟାପକ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶର ସମସ୍ତ ପ୍ରାନ୍ତରୁ ଯୁବକ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଏବଂ ସାଧାରଣ ଜନତାଙ୍କୁ ଅଧିକ ସମୟ ପ୍ରଦାନ କରିବା ଏବଂ ସର୍ବାଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ଏହି ସମୟସୀମା ବୃଦ୍ଧି କରାଯାଇଛି। MyGov ପୋର୍ଟାଲରେ ଆୟୋଜିତ ଲୋଗୋ ଡିଜାଇନ୍ ପ୍ରତିଯୋଗିତା, ‘ମୋ ଗାଁ ପାଇଁ ୬୦ ସେକେଣ୍ଡ’ ଶୀର୍ଷକ ଜାତୀୟ ରିଲ୍/ଭିଡିଓ ଚ୍ୟାଲେଞ୍ଜ ଏବଂ MY Bharat ପୋର୍ଟାଲରେ ଆୟୋଜିତ ବିକଶିତ ଭାରତ – ଜିରାମ-ଜି କ୍ୱିଜ୍ ପ୍ରତିଯୋଗିତା ମାଧ୍ୟମରେ ଅଂଶଗ୍ରହଣକାରୀମାନେ ଗ୍ରାମୀଣ ବିକାଶ, ନିଯୁକ୍ତି ସୃଷ୍ଟି ଓ ଜୀବିକା ବୃଦ୍ଧି ସମ୍ବନ୍ଧୀୟ ବିଷୟରେ ସେମାନଙ୍କର ସୃଜନଶୀଳ ଧାରଣା ଓ ଡିଜିଟାଲ୍ ଅଭିବ୍ୟକ୍ତିକୁ ଜାତୀୟ ସ୍ତରରେ ପ୍ରଦର୍ଶନ କରିବାର ସୁଯୋଗ ପାଇବେ।

ନୂତନ ସଂଶୋଧିତ ସମୟସୀମା ଅନୁଯାୟୀ, ଲୋଗୋ ଡିଜାଇନ୍ ପ୍ରତିଯୋଗିତାର ଶେଷ ତାରିଖ ପୂର୍ବରୁ ୨୦ ମାର୍ଚ୍ଚ ଥିବାବେଳେ ଏହାକୁ ୪ ଏପ୍ରିଲ, ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ଜାତୀୟ ରିଲ୍/ଭିଡିଓ ଚ୍ୟାଲେଞ୍ଜର ସମୟସୀମା ୨୧ ମାର୍ଚ୍ଚରୁ ୫ ଏପ୍ରିଲ, ୨୦୨୬କୁ ବୃଦ୍ଧି କରାଯାଇଥିବା ବେଳେ କୁଇଜ୍ ପ୍ରତିଯୋଗିତାର ଶେଷ ତାରିଖ ୭ ଏପ୍ରିଲ, ୨୦୨୬କୁ ଧାର୍ଯ୍ୟ କରାଯାଇଛି।

ଏହି ପ୍ରତିଯୋଗିତାଗୁଡ଼ିକ ମାଧ୍ୟମରେ ଅଂଶଗ୍ରହଣକାରୀମାନେ ‘ବିକଶିତ ଭାରତ – ଜି-ରାମ-ଜି ଅଧିନିୟମ, ୨୦୨୫’ର ଲକ୍ଷ୍ୟ ଓ ପ୍ରାବଧାନଗୁଡ଼ିକୁ ଗଭୀର ଭାବେ ବୁଝିପାରିବେ। ଏହା ଯୁବଶକ୍ତିଙ୍କୁ ନିଜ ଗାଁର ବିକାଶ ପ୍ରକ୍ରିୟାରେ ସିଧାସଳଖ ଯୋଡ଼ିବ ଏବଂ ‘ଯୁବ ଶକ୍ତି, ପଞ୍ଚାୟତର ପ୍ରଗତି’ ମନ୍ତ୍ରକୁ ସାକାର କରି ବିକଶିତ ଭାରତ @୨୦୪୭ର ଦୂରଦୃଷ୍ଟିକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାରେ ସହାୟକ ହେବ।

ଉଲ୍ଲେଖଯୋଗ୍ୟ ଯେ, ବିକଶିତ ଭାରତ – ଜି-ରାମ-ଜି ଅଧିନିୟମ, ୨୦୨୫ ଗ୍ରାମୀଣ ନିଯୁକ୍ତି ନୀତିରେ ଏକ ଐତିହାସିକ ପରିବର୍ତ୍ତନ ଆଣିଛି। ଏହି ଅଧିନିୟମ ଅଧୀନରେ ଗ୍ରାମୀଣ ପରିବାର ପାଇଁ ବୈଧାନିକ ଶ୍ରମ ନିଯୁକ୍ତି ଗ୍ୟାରେଣ୍ଟିକୁ ୧୦୦ ଦିନରୁ ୧୨୫ ଦିନକୁ ବୃଦ୍ଧି କରାଯାଇଛି। ଏହା ସହିତ ସମାବେଶୀ ବିକାଶ, ବିଭିନ୍ନ ଯୋଜନାର ସଫଳ ରୂପାୟନ ଏବଂ ସେବା ପ୍ରଦାନର ସମ୍ପୂର୍ଣ୍ଣତା ଉପରେ ଗୁରୁତ୍ୱ ଦେଇ ଏକ ସମୃଦ୍ଧ ଓ ଆତ୍ମନିର୍ଭର ଗ୍ରାମୀଣ ଭାରତ ଗଠନ ପାଇଁ ଲକ୍ଷ୍ୟ ରଖାଯାଇଛି।

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଯୁବବର୍ଗ ଓ ନାଗରିକଙ୍କୁ ଏହି ସୃଜନଶୀଳ ପ୍ରତିଯୋଗିତାଗୁଡ଼ିକରେ ବହୁସଂଖ୍ୟାରେ ଭାଗ ନେବାକୁ ନିବେଦନ କରାଯାଇଛି, ଯାହାଫଳରେ ସାମୂହିକ ପ୍ରୟାସ ମାଧ୍ୟମରେ ବିକଶିତ ଭାରତର ସଂକଳ୍ପକୁ ନୂତନ ଗତି ପ୍ରଦାନ କରାଯାଇପାରିବ।

Leave a Reply

Your email address will not be published. Required fields are marked *