ନାଲକୋ ର ଆର୍ଥିକ ବର୍ଷ ୨୦୨୫ – ୨୬ ର ତୃତୀୟ ତ୍ରୈମାସିକରେ ସର୍ବକାଳିନ ସର୍ବାଧିକ ୧୬୦୧ କୋଟି ଟଙ୍କାର ନିଟ ଲାଭ

  • ପ୍ରଥମ ୯ ମାସରେ ସର୍ବକାଳିନ ସର୍ବାଧିକ ରେକର୍ଡ ୪୦୯୮ କୋଟି ଟଙ୍କା ଲାଭ
  • ପରିଚାଳନା କ୍ଷେତ୍ରରେ ଉତ୍କର୍ଷତା ଏବଂ ଅନୁକୂଳ ବଜାର ଦ୍ୱାରା ନାଲକୋର ରେକର୍ଡ ଉତ୍ପାଦନ ଏବଂ ବିକ୍ରୟ

ଭୁବନେଶ୍ଵର, ତା ୩୦। ୦୧। ୨୦୨୬ ଋଖ : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲକୋ)ପକ୍ଷରୁ ଆର୍ଥିକ ବର୍ଷ ୨୦୨୫ – ୨୬ ର ତୃତୀୟ ତ୍ରୈମାସିକ ଫଳାଫଳ ଘୋଷିତ ହୋଇଛି। ଡିସେମ୍ବର ୨୦୨୫ ରେ ଶେଷ ହୋଇଥିବା ତ୍ରୈମାସିକରେ କମ୍ପାନୀର ନିଟ ଲାଭ ସର୍ବକାଳୀନ ସର୍ବାଧିକ ୧୬୦୧ କୋଟି ଟଙ୍କା ହୋଇଥିବା ବେଳେ, ବିଗତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ଏହି ପରିମାଣ ୧୫୮୩ କୋଟି ଟଙ୍କା ଥିଲା।

ଆଜି ଭୁବନେଶ୍ଵରରେ ଅନୁଷ୍ଠିତ ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ରେକର୍ଡ ହୋଇଥିବା ଫଳାଫଳ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୫-୨୬ ର ତୃତୀୟ ତ୍ରୈମାସିକରେ କମ୍ପାନୀର ମୋଟ ଆୟ ୪,୯୨୫ କୋଟି ଟଙ୍କା ହୋଇଥିବା ବେଳେ ଆର୍ଥିକ ବର୍ଷ ୨୦୨୪- ୨୫ର ତୃତୀୟ ତ୍ରୈମାସିକରେ ଏହି ପରିମାଣ ୪,୭୬୧ କୋଟି ଟଙ୍କା ଥିଲା।

ଡିସେମ୍ବର ୨୦୨୫ ରେ ଶେଷ ହୋଇଥିବା ୯ ମାସର ଫଳାଫଳ ଅନୁସାରେ କମ୍ପାନୀର ମୋଟ କାରବାର ୧୨,୮୩୦ କୋଟି ଟଙ୍କା ସହ ନିଟ ଲାଭ ୪୦୯୮ କୋଟି ଟଙ୍କା ହୋଇଛି ଯାହାକି ପୂର୍ବ ଆର୍ଥିକ ବର୍ଷର ସମାନ ସମୟରେ ଯଥାକ୍ରମେ ୧୧,୫୨୦ ଏବଂ ୩,୨୪୬ କୋଟି ଟଙ୍କା ଥିଲା। ନିଟ ଲାଭ ପରିମାଣ ୨୬ ପ୍ରତିଶତ ବୃଦ୍ଧି ହେବା ସହ ମୋଟ କାରବାରରେ ୧୧ ପ୍ରତିଶତ ବୃଦ୍ଧି ପାଇଛି। ଉଲ୍ଲେଖଯୋଗ୍ୟ ଯେ, ଆର୍ଥିକ ବର୍ଷ ୨୦୨୫-୨୬ ର ତୃତୀୟ ତ୍ରୈମାସିକ ତଥା ୯ ମାସର କାରବାରରୁ ନାଲକୋ ସର୍ବକାଳିନ ସର୍ବାଧିକ ଆୟ ଓ ଲାଭ ଅର୍ଜନର ରେକର୍ଡ ହାସଲ କରିଛି।

କର୍ମଚାରୀମାନଙ୍କୁ ଏହି ସଫଳତାର ଶ୍ରେୟ ଦେବା ସହ, ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ, ମୂଲ୍ୟ ଅପ୍ଟିମାଇଜେସନ୍, ମାର୍ଜିନ୍ ପରିଚାଳନା ଏବଂ ଗୁଣବତ୍ତା ବୃଦ୍ଧି ଉପରେ ନିରନ୍ତର ଗୁରୁତ୍ୱ ଦ୍ୱାରା ଏହି ଫଳାଫଳ ହାସଲ ହୋଇପାରିଛି। ଚଳିତ ତ୍ରୈମାସିକ ଫଳାଫଳ ମୁଖ୍ୟତଃ ଆଲୁମିନା ଏବଂ ଧାତୁ ବିକ୍ରିରେ ଅଭିବୃଦ୍ଧି ସହ କ୍ୟାପ୍ଟିଭ କୋଇଲା ଖଣିର ବର୍ଦ୍ଧିତ ଉପଯୋଗ ଏବଂ ଧାତୁ ବିକ୍ରିରୁ ବର୍ଦ୍ଧିତ ଲାଭାଂଶ ହାସଲ ଯୋଗୁଁ ସମ୍ଭବ ହୋଇଛି। ବର୍ତ୍ତମାନ, ନବସୃଜନ, ଶିଳ୍ପ ୪.୦ କୌଶଳ ବ୍ୟବହାର, ଗବେଷଣା ତଥା ବିକାଶ ଏବଂ କାର୍ବନ ହ୍ରାସ, ସମ୍ପ୍ରସାରଣ ପ୍ରକଳ୍ପଗୁଡ଼ିକର ସମୟବଦ୍ଧ ପରିସମାପ୍ତି ଦ୍ୱାରା କମ୍ପାନୀ ଦୀର୍ଘକାଳୀନ ଅଭିବୃଦ୍ଧି ଉପରେ ଗୁରୁତ୍ତ୍ଵ ଦେଉଛି ବୋଲି, ସେ କହିଛନ୍ତି। ନାଲକୋ କୁ ବ୍ୟବସାୟ କ୍ଷେତ୍ରରେ ଉତ୍କର୍ଷ ହାସଲ ଦିଗରେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ସହଯୋଗ ଏବଂ ଓଡ଼ିଶା ସରକାରଙ୍କ ନିରନ୍ତର ସମର୍ଥନ ନିମନ୍ତେ ଶ୍ରୀ ସିଂହ କୃତଜ୍ଞତା ଜଣାଇଛନ୍ତି ।

ସୂଚନା ଯୋଗ୍ୟ ଯେ ଆର୍ଥିକ ବର୍ଷ ୨୦୨୫-୨୬ ନିମନ୍ତେ କମ୍ପାନୀ ପକ୍ଷରୁ ଇକ୍ୱିଟି ସେୟାର ପ୍ରତି ୪. ୫୦ ଟଙ୍କାର ଦ୍ଵିତୀୟ ଇଣ୍ଟେରିମ ଡିଭିଡେଣ୍ଡ ମଧ୍ୟ ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *