ମହିଳା କମିଶନରେ ବିଚାର ଅପେକ୍ଷାରେ ୩୯୨୩ ମାମଲା


ଭୁବନେଶ୍ୱର, ୨୦/୦୨/୨୦୨୬ : ରାଜ୍ୟ ମହିଳା କମିଶନଙ୍କ ନିକଟରେ ବର୍ତ୍ତମାନ ୩୯୨୩ଟି ମାମଲା ବିଚାରାଧିନ ଥିବାବେଳେ ଏଥିରୁ ସର୍ବାଧିକ ମାମଲା ଖୋରଧା ଜିଲ୍ଲାରୁ ଆସିଛି । ଏ କ୍ଷେତ୍ରରେ କଟକ ଜିଲ୍ଲା ଦ୍ୱିତୀୟ ସ୍ଥାନରେ ଥିବା ଜଣାଯାଇଛି ।
ମହିଳା କମିଶନଙ୍କ ନିକଟରେ ବିଚାର ପାଇଁ ଥିବା ମାମଲା ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଚଳିତ ବର୍ଷ ଜାନୁଆରୀ ଶେଷ ସୁଦ୍ଧା ମହିଳା କମିଶନଙ୍କ ନିକଟରେ ୩୯୨୩ଟି ମାମଲା ବିଚାର ପାଇଁ ରହିଛି । ୨୦୨୪ ଜୁନ୍‍ ମାସ ଠାରୁ ଚଳିତବର୍ଷ ଜାନୁଆରୀ ମଧ୍ୟରେ କମିଶନଙ୍କ ନିକଟକୁ ୩୬୧୨ଟି ମାମଲା ଆସିଛି ।
କମିଶନଙ୍କ ନିକଟରେ ଥିବା ମାମଲା ମଧ୍ୟରୁ ସର୍ବାଧିକ ୮୬୪ଟି ଖୋରଧା ଜିଲ୍ଲାରୁ ଆସିଥିବାବେଳେ କଟକରୁ ୩୪୮, ପୁରୀରୁ ୨୭୨, ଗଞ୍ଜାମରୁ ୨୨୨, କେନ୍ଦ୍ରାପଡାରୁ ୨୨୦, ଭଦ୍ରକରୁ ୧୯୯, ବାଲେଶ୍ୱରରୁ ୧୯୦, ଯାଜପୁରରୁ ୧୭୪, ଜଗତ୍‍ସିଂହପୁରରୁ ୧୩୪ଟି ମାମଲା ଆସିଛି । ତେବେ ସବୁଠାରୁ କମ୍‍ ମାତ୍ର ୭ଟିମାମଲା ମାଲକାନଗିରି ଜିଲ୍ଲାରୁ ଆସିଥିବାବେଳେ ଝାରସୁଗୁଡା ଜିଲ୍ଲାରୁ ୮ଟି ମାମଲା ଆସିଛି । ତେବେ ଜୁନ୍‍ ୨୦୨୪ ରୁ ଜାନୁଆରୀ ୨୦୨୬ ମଧ୍ୟରେ ମହିଳା କମିଶନର ୨୬୨୬ଟି ମାମଲା ଫଏସଲା କରିଥିବା ମନ୍ତ୍ରୀ ଦର୍ଶାଇଛନ୍ତି ।

ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି
ଭୁବନେଶ୍ୱର, ୨୦/୦୨/୨୦୨୬ : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି । ତେବେ ସୁଭଦ୍ରା ଯୋଜନାଟି ମିଶନ ଶକ୍ତି ବିଭାଗର ପରିସରଭୁକ୍ତ ନୁହେଁ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରଭାତି ପରିଡା ସ୍ପଷ୍ଟ କରିଛନ୍ତି ।
ଲକ୍ଷପତି ଦିଦିଙ୍କ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ମୋଟ୍‍ ୬,୦୨,୦୧୩ ସଂଖ୍ୟକ ସ୍ୱୟଂ ସହାୟିକା ଗୋଷ୍ଠି କାର୍ଯ୍ୟରତ ଅଛନ୍ତି ଓ ସେଥିରେ ୭୦ଲକ୍ଷ ୧୦ ଜଣ ମହିଳା ସଦସ୍ୟା ସମ୍ପୃକ୍ତ ଅଛନ୍ତି । ବିଭିନ୍ନ ଆର୍ଥିକ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୬,୪୧,୭୪୮ ଜଣ ଲକ୍ଷପତି ଦିଦି ସୃଷ୍ଟି ହୋଇପାରିଛନ୍ତି ।

ଇକୋ ରିଟ୍ରିଟ୍‍ ପରିଚାଳନା ଦାୟିତ୍ୱରେ ରହିଛନ୍ତି ଦୁଇଟି ସଂସ୍ଥା
ଭୁବନେଶ୍ୱର, ୨୦/୦୨/୨୦୨୬ : ଚଳିତବର୍ଷ ରାଜ୍ୟର ୭ଟିସ୍ତାନରେ ଇକୋ ରିଟ୍ରିଟ ଆୟୋଜନ କରାଯାଇଛି । ଏହାର ପରିଚାଳନା ଦାୟିତ୍ୱରେ ଦୁଇଟି ସଂସ୍ଥା ରହିଛନ୍ତି । ବିଧାନସଭାରେ ପର୍ଯ୍ୟଟନମନ୍ତ୍ରୀ ପ୍ରଭାତି ପରିଡା ଦେଇଥିବା ସୂଚନାରୁ ଏହା ଜଣାଯାଇଛି ।
ଇକୋ ରିଟ୍ରିଟ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଚଳିତବର୍ଷ ରାଜ୍ୟର ୭ଟି ସ୍ଥାନରେ ଇକୋ ରିଟ୍ରିଟ୍‍ ଆୟୋଜନ କରାଯାଇଛି । ଏହିସବୁସ୍ଥାନଗୁଡିକ ହେଲା କୋଣାର୍କର ରାମଚଣ୍ଡି, ଭିତରକନିକାର ପେଣ୍ଠ, ସାତକୋଶିଆର ବାଲିପୁଟ, ସମ୍ବଲପୁରର ହୀରାକୁଦ, କନ୍ଧମାଳର ଦାରିଙ୍ଗିବାଡି, କୋରାପୁଟର ପୁଟସିଲ ଓ ଗଞ୍ଜାମର ସୋନାପୁର ବେଳାଭୂମି ।
ଏହି ସମସ୍ତ ଇକୋ ରିଟ୍ରିଟର ଆୟୋଜନ କରିଛନ୍ତି ଇ-ଫ୍ୟାକ୍ଟର ଏକ୍ସପେରିଏନ୍ସ ଲିମିଟେଡ ଓ ୟାଲା ଇକୋ ରିଟ୍ରିଟ୍‍ ପ୍ରାଇଭେଟ ଲିମିଟେଡ । ଚଳିତବର୍ଷର ଆୟୋଜନ ପାଇଁ ରାମଚଣ୍ଡି ଇକୋ ରିଟ୍ରିଟ ଲାଗି ଇ-ଫ୍ୟାକ୍ଟର ସର୍ବାଧିକ ୨୪ କୋଟି ୬୪ଲକ୍ଷ ଟଙ୍କା ନେବାକୁ ଥିବାବେଳେ କନ୍ଧମାଳର ଦାରିଙ୍ଗିବାଡି ଇକୋ ରିଟ୍ରିଟ ପାଇଁ ୟାଲା ଇକୋ ରିଟ୍ରିଟ ସବୁଠାରୁ କମ୍‍ ୬ କୋଟି ୯ଲକ୍ଷ ଟଙ୍କା ପାଇବ । ଚଳିତବର୍ଷର ଦେୟ ଗତବର୍ଷ ତୁଳନାରେ ଅଧିକ ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।
ରାଜ୍ୟରେ ହ୍ରାସ ପାଉଛି ଶିଶୁ ଜନ୍ମ ହାର
ଭୁବନେଶ୍ୱର, ୨୦/୦୨/୨୦୨୬ : ରାଜ୍ୟରେ ଶିଶୁ ଜନ୍ମ ହାର ହ୍ରାସ ପାଉଛି । ୨୦୦୦ ମସିହାରେ ରାଜ୍ୟରେ ଶିଶୁ ଜନ୍ମହାର ୨୪.୧% ଥିବାବେଳେ ୨୦୨୩ ମସିହାରେ ଏହା ୧୬% ରହିଛି । ୨୦୨୫ ମସିହାରେ ପ୍ରକାଶିତ ହୋଇଥିବା ସର୍ଭେରୁ ଏହା ଜଣାପଡିଛି ।
ଶିଶୁ ଜନ୍ମ ହାର ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନାଦେଇଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ପୋଷଣ ଟ୍ରାକ୍କରରେ ଉପଲବ୍ଧ ସୂଚନା ଆଧାରରେ ରାଜ୍ୟରେ ଏବେ ଜନ୍ମରୁ ୫ବର୍ଷ ବୟସର ୧୪୭୭ ଜଣ ଅତିଶୟ ପୁଷ୍ଟିହୀନ ଶିଶୁ ଥିବାବେଳେ ୬୪,୯୩୬ ଜଣ ପୁଷ୍ଟିହୀନ ଶିଶୁ ରହିଛନ୍ତି । ସେହିଭଳି କମ୍‍ ଓଜନ ବିଶିଷ୍ଟ ଶିଶୁଙ୍କ ସଂଖ୍ୟା ୩ଲକ୍ଷରୁ ଅଧିକ ରହିଛି । ବୟସ ତୁଳନାରେ ଉଚ୍ଚତା କମ୍‍ ଥିବା ଶିଶୁଙ୍କ ସଂଖ୍ୟା ରାଜ୍ୟରେ ପାଖପାଖି ୭ଲକ୍ଷ ରହିଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାଯାଇଛି । ରାଜ୍ୟରେ ସର୍ବାଧିକ ଅପପୁଷ୍ଟିହୀନ ଶିଶୁ ମୟୁରଭଞ୍ଜରେ ଥିବାବେଳେ ପୁଷ୍ଟିହୀନ ଶିଶୁ ତାଲିକାରେ ବି ଏହି ଜିଲ୍ଲା ଏକ ନମ୍ବର ସ୍ଥାନରେ ରହିଛି ।

Leave a Reply

Your email address will not be published. Required fields are marked *