ସର୍ବାଧିକ ହୋଲ୍ଡିଂ ଟାକ୍ସ ପ୍ରଦାନକାରୀଙ୍କୁ ସମ୍ବର୍ଦ୍ଧିତ କଲା ବିଏମ୍ ସି


• ‘ଟାକ୍ସ ପ୍ରଦାନ କରିବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ’-ଟିକସଦାତା
ଭୁବନେଶ୍ୱର;ତା 24-03-2026 ରିଖ:ସର୍ବାଧିକ ହୋଲ୍ଡିଂ ଟାକ୍ସ ପ୍ରଦାନକାରୀଙ୍କୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ସମ୍ମାନ ସୂଚକ ପ୍ଲାଣ୍ଟର ପ୍ରଦାନ କରାଯାଇଛି । ପ୍ରତି ଜୋନରୁ 30 ଜଣ ଲେଖାଏଁ ସର୍ବାଧିକ ହୋଲ୍ଡିଂ ଟାକ୍ସ ଦାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହା ସହିତ ସ୍ୱଚ୍ଛ ସର୍ବେକ୍ଷଣ ବାର୍ତ୍ତା ଭୁବନେଶ୍ୱରବାସୀଙ୍କୁ ଦେବା ସହ ସବୁଜ ସୁନ୍ଦର ଭୁବନେଶ୍ୱର ଗଠନରେ ସେମାନଙ୍କର ଅବଦାନକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପ୍ଲାଣ୍ଟର ପ୍ରଦାନ କରାଯାଇଥିବା ବିଏମ୍ ସି ପକ୍ଷରୁ କୁହାଯାଇଛି ।
ପ୍ରତିବର୍ଷ ପରି ଚଳିତ ଆର୍ଥିକ ବର୍ଷ 2025-26ରେ ବିଏମ୍ ସି ଅଂଚଳରୁ ହୋଲ୍ଡିଂ ଟାକ୍ସ ଆଦାୟ ଜାରି ରହିଛି । ବିଏମ୍ ସିର ପ୍ରତି ଜୋନ୍ ଅର୍ଥାତ୍ ଉତ୍ତର ଜୋନରୁ 30 ଜଣ, ଦକ୍ଷିଣ-ପୂର୍ବ ଜୋନରୁ 30 ଜଣ ଏବଂ ଦକ୍ଷିଣ-ପଶ୍ଚିମ ଜୋନରୁ 30 ଜଣ ସର୍ବାଧିକ ହୋଲ୍ଡିଂ ଟାକ୍ସ ପ୍ରଦାନକାରୀଙ୍କୁ ସଂପୃକ୍ତ ଜୋନାଲ କମିଶନରମାନେ ପ୍ଲାଣ୍ଟର ପ୍ରଦାନ ସହ ସମ୍ବର୍ଦ୍ଧିତ କରିଛନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଲୋକମାନେ ସେମାନଙ୍କର ହୋଲ୍ଡିଂ ଟାକ୍ସ ହେଉ କି ୟୁଜର ଫି, ସ୍ୱତଃପ୍ରବୃତ୍ତ ଭାବେ ପ୍ରଦାନ କରୁଛନ୍ତି । ଏହା ବିଏମ୍ ସି ପାଇଁ ଏକ ଶୁଭ ଲକ୍ଷଣ । ଲୋକମାନେ ଏହି ହୋଲ୍ଡିଂ ଟାକ୍ସ ପ୍ରଦାନ କରିବା ଦ୍ୱାରା, ଭୁବନେଶ୍ୱର ତଥା ଭୁବନେଶ୍ୱରବାସୀଙ୍କ ବିକାଶ କାର୍ଯ୍ୟରେ ବିନିଯୋଗ ହେଉଛି । ରାସ୍ତାଘାଟଠାରୁ ଆରମ୍ଭ କରି ପୋଖରୀର ପୁନଃଉଦ୍ଧାର, ସହର ସୌନ୍ଦର୍ଯ୍ୟକରଣ, ପରିମଳ ବ୍ୟବସ୍ଥାରେ ଉନ୍ନତିକରଣ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ଆଲୋକ, ବିଭିନ୍ନ ଅନୁଷ୍ଠାନ ନିର୍ମାଣ, ପ୍ରମୋଦ ଉଦ୍ୟାନ ସ୍ଥାପନ ଆଦି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହେଉଛି । ଏହା ଦ୍ୱାରା ଭୁବନେଶ୍ୱରବାସୀଙ୍କ ଜୀବନଧାରଣର ମାନଦଣ୍ଡ ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି ।
ଏ ଯାଏ ସର୍ବାଧିକ ହୋଲ୍ଡିଂ ଟାକ୍ସ ଦାତାଙ୍କ ମଧ୍ୟରେ ଉତ୍ତର ଜୋନର କିଟ୍ ପ୍ରାୟ 1 କୋଟି 19 ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ଦକ୍ଷିଣ-ପଶ୍ଚିମ ଜୋନର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ 3 କୋଟିରୁ ଅଧିକ ଟଙ୍କାର ହୋଲ୍ଟିଂ ଟାକ୍ସ ଦେଇଛି । ସେହିପରି ଦକ୍ଷିଣ-ପୂର୍ବ ଜୋନର କ୍ରାକର୍ସ ଇଣ୍ଡିଆ ଇନଫ୍ରାଷ୍ଟକଚର ଲିମିଟେଡ୍ ସର୍ବାଧିକ ପ୍ରାୟ 43 ଲକ୍ଷ ଟଙ୍କା ହୋଲ୍ଡିଂ ଟାକ୍ସ ପ୍ରଦାନ କରିଛନ୍ତି । ସର୍ବାଧିକ ଟାକ୍ସ ପ୍ରଦାନକାରୀଙ୍କ ସହ ସମସ୍ତ ଟିକସଦାତାଙ୍କୁ ମାନନୀୟା ମେୟର ଶ୍ରୀମତୀ ସୁଲୋନଚା ଦାସ ଓ କମିଶନର ଶ୍ରୀ ଚଞ୍ଚଳ ରାଣା ଅଭିନନ୍ଦନ ଜଣାଇଛନ୍ତି । ସମସ୍ତେ ନିଜ ନିଜର ଟାକ୍ସ ଦେଇ ଭୁବନେଶ୍ୱର ବିକାଶରେ ଭାଗିଦାରୀ ହେବା ପାଇଁ ସେମାନେ ଆହ୍ୱାନ ଦେଇଛନ୍ତି । ନିଜର ହୋଲ୍ଡିଂ ଟାକ୍ସ ହେଉ କି ୟୁଜର ଫି ପ୍ରଦାନ କରି ନିଜକୁ ସ୍ମାର୍ଟ ସିଟିର ବାସିନ୍ଦା ଭାବେ ଗର୍ବ କରନ୍ତୁ କହିଛନ୍ତି ମାନନୀୟା ମେୟର ଓ କମିଶନର ।
ଅପରପକ୍ଷେ, ଏହି ସର୍ବାଧିକ ହୋଲ୍ଡିଂ ଟାକ୍ସ ଦାତାମାନେ ମଧ୍ୟ ବେଶ ଖୁସି ବ୍ୟକ୍ତ କରିଛନ୍ତି । ଏହି ଟାକ୍ସ ପ୍ରଦାନ କରି ସେମାନେ ଭୁବନେଶ୍ୱରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବେ ଭାଗିଦାରୀ ହୋଇପାରିଥିବାରୁ ନିଜକୁ ଗର୍ବିତ ମନେକରୁଛନ୍ତି । ଟାକ୍ସ ଦେବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ । ତାହକୁ ସମସ୍ତେ ପାଳନ କରିବା ଦରକାର ବୋଲି ସେମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *